ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ କ୍ଷୋଭ, ଶିକ୍ଷାବିତ୍ମାନଙ୍କ ନିନ୍ଦା
ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଅଧୀନ ପଲ୍ଲୀ ବିକାଶ ଉଚ୍ଚବିଦ୍ୟାଳୟ, କୁରୁମିଠାରେ ଶିକ୍ଷକ ବଦଳି ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ବର୍ତ୍ତମାନ ନବମ ଶ୍ରେଣୀରେ ୧୩୮ ଓ ଦଶମ ଶ୍ରେଣୀରେ ୧୪୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
ମୋଟ ୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ସହ ପ୍ରଧାନଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକ ଟିକିନା ସାହୁଙ୍କୁ ୬ ଦିନ ଓ ମୋହନ ସାହୁଙ୍କୁ ୩ ଦିନ ପାଇଁ ଅନ୍ୟ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ପଠାଯାଇଛି। ଏହା ଫଳରେ ଦୈନିକ ଶିକ୍ଷାଦାନ କାର୍ଯ୍ୟ ବିଘ୍ନିତ ହେଉଛି ଓ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଗୁରୁତର ବାଧା ସୃଷ୍ଟି ହେଉଛି।
ପଲ୍ଲୀ ବିକାଶ ଉଚ୍ଚବିଦ୍ୟାଳୟ, କୁରୁମିଠା ପୂର୍ବରୁ ହିନ୍ଦୋଳ ଅଞ୍ଚଳରେ ଶିକ୍ଷା ମାନଦଣ୍ଡ ରଖି ମ୍ୟାଟ୍ରିକ୍ ପରୀକ୍ଷାରେ ଭଲ ଫଳାଫଳ ଦେଇଆସୁଛି। ପ୍ରତିବର୍ଷ ଏ-୧ ଗ୍ରେଡ୍ ରେ ଜଣେ ରୁ ଦୁଇ ଜଣ ଛାତ୍ରଛାତ୍ରୀ ରହି ଅଞ୍ଚଳର ସମ୍ମାନ ବଢ଼ାଇଥାଆନ୍ତି। ତେବେ ଚଳିତ ବର୍ଷ ପରୀକ୍ଷା ନିକଟରେ ଥିବାବେଳେ ଏଭଳି ବଦଳିକୁ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି।
ଏହି ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବିନୟ କୁମାର ସାମଲ, ବିଜୟାନନ୍ଦ ସାହୁ, ପିତାମ୍ବର ସାହୁ, ଜିତେନ୍ଦ୍ର ସାମଲ, ନିରାକାର ପ୍ରଧାନ, ପ୍ରଶାନ୍ତ ସାମଲ, ଟଙ୍କଧର ପ୍ରଧାନ, ମନୋଜ ସାମଲ ଓ ଅଶୋକ ସାହୁ ପ୍ରମୁଖ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଜିଲ୍ଲା ଶିକ୍ଷାଧିକାରୀ ସମସ୍ୟାର ସମାଧାନ ଖୁବ ଶୀଘ୍ର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସମୟରେ ଅଭିଭାବକମାନେ ଚେତାବନୀ ଦେଇଛନ୍ତି ଯେ, ଦୁଇ ଦିନ ମଧ୍ୟରେ ସମାଧାନ ନ ହେଲେ ରାଜପଥ ଆନ୍ଦୋଳନ କରିବେ।
#tehelkadhenkanal #dhenkanal #hindol #trendingpost #fbpost2025シ Dhenkanal District Administration